ଅବିନାଶ ଗଡତିଆ/ବରଗଡ/ସମୀକ୍ଷା ନ୍ୟୁଜ:
ଓଡ଼ିଶାରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ବଲପୁର-ତାଳଚେର ରେଳଲାଇନ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକଙ୍କୁ ୫ ଲକ୍ଷ ଟଙ୍କାରୁ ଅଧିକ ଲାଞ୍ଚ ମାଗିବା ଓ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି । ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କାର ବାକି ଅଂଶ ନେଉଥିବା ସମୟରେ ରଙ୍ଗେହାତ କାବୁ କରିଛି । ସୂଚନା ଅନୁଯାୟୀ, ଜଣେ ଜମି ମାଲିକଙ୍କର ଜମି ଅଧିଗ୍ରହଣ ବାବଦକୁ ୮୪,୬୨,୨୮୮ ଟଙ୍କାର କ୍ଷତିପୂରଣ ରାଶି ମଞ୍ଜୁର ହୋଇଥିଲା। ଏହି ଅର୍ଥ ପ୍ରଦାନ କରିବା ଏବଂ ଆଗାମୀ ଦିନରେ ତୃତୀୟ ରେଳଲାଇନ ନିର୍ମାଣ ସମୟରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଅଧିକାରୀ ଅଜୟ କୁମାର ଗଡ଼ନାୟକ ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଅଭିଯୋଗକାରୀ ପୂର୍ବରୁ ଗତ ଅକ୍ଟୋବର ୨୭ ତାରିଖରେ ପ୍ରଥମ କିସ୍ତି ଭାବେ ୨ ଲକ୍ଷ ଟଙ୍କା ବାବୁଙ୍କୁ ଦେଇସାରିଥିଲେ। କିନ୍ତୁ ଅବଶିଷ୍ଟ ୩ ଲକ୍ଷ ୧୦ ହଜାର ଟଙ୍କା ଦେବା ପାଇଁ ଶ୍ରୀ ଗଡ଼ନାୟକ ଲଗାତାର ଚାପ ପକାଇବା ସହ ଟଙ୍କା ନଦେଲେ ଭବିଷ୍ୟତରେ ଜମି ଅଧିଗ୍ରହଣ ସମୟରେ ସମସ୍ୟା ସୃଷ୍ଟି କରିବେ ବୋଲି ଧମକ ଦେଇଥିଲେ।

ଏଥିରେ ଅତିଷ୍ଠ ହୋଇ ଜମି ମାଲିକ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ଯୋଜନା ମୁତାବକ, ଯେତେବେଳେ ଅଭିଯୋଗକାରୀ ବାକି ୩ ଲକ୍ଷ ୧୦ ହଜାର ଟଙ୍କା ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ହସ୍ତାନ୍ତର କରୁଥିଲେ, ସେହି ସମୟରେ ପୂର୍ବରୁ ସେଠାରେ ଓତ ପେତି ରହିଥିବା ସମ୍ବଲପୁର ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ ଗିରଫ କରିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଅଜୟ କୁମାର ଗଡ଼ନାୟକଙ୍କ ସହ ଜଡ଼ିତ ସମ୍ବଲପୁର ସମେତ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି, ଯେଉଁଠାରେ ତାଙ୍କର ଆୟବହିର୍ଭୂତ ସମ୍ପତ୍ତିର ଆକଳନ କରାଯାଉଛି । ସମ୍ବଲପୁର ଭିଜିଲାନ୍ସ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।





