ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୫/୧୧/୨୬ – ପିଲାଟିଏ ମୂଳରୁ ପରିବାରର ଶିକ୍ଷା ନେଇ ନିଜ ପରିଚୟ ସୃଷ୍ଟି କରେ । ତାର ଚାଲିଚଳଣୀ, ବେଶ ପୋଷାକ, ଖାଦ୍ୟପାନୀୟ, ବ୍ୟବହାର, ଶୃଙ୍ଖଳା, କର୍ତ୍ତବ୍ୟ ନିଷ୍ଠା ଭଳି ଅନ୍ୟାନ୍ୟ ବିଭିନ୍ନ ଦିଗକୁ ନେଇ ତା ଜୀବନ ଶୈଳୀ ଗଠନ ହୋଇଥାଏ । ଶକ୍ତିଶ୍ରୀ ସଶକ୍ତିକରଣ ଶାଖା ତରଫରୁ ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ.ଚନ୍ଦ୍ରକାନ୍ତ ଦାସ ଯୌନ ଉତ୍ପୀଡ଼ନ ଏକ ସାମାଜିକ ବ୍ୟାଧି ବୋଲି ମତବ୍ୟକ୍ତ କରିବା ସହ ଏହାର ନିରାକରଣ ପାଇଁ ସମସ୍ତଙ୍କର ସଚେତନତା ଓ ସହଯୋଗ ଆବଶ୍ୟକ ବୋଲି କହିଥିଲେ l ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଓ.ଜେ.ଏସ. ଯୋଗଦେଇ ଆଜିର ଦିନରେ ଝିଅ ତଥା ମହିଳା ମାନେ କିପରି ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି ଏବଂ ଅନେକ ସମୟରେ ସେମାନେ ବଦନାମ ହେବା ଭୟରେ ମୁହଁ ଖୋଲୁ ନଥିବାରୁ ଅପରାଧୀ ମାନେ ଖସି ଯିବାରେ ସକ୍ଷମ ହେଉଛନ୍ତି ବୋଲି କହିବା ସହିତ ଉତ୍ପୀଡ଼ନର ବିଭିନ୍ନ ଦିଗ, ଏହାର କୁପରିଣାମ, ଆଇନଗତ ବ୍ୟବସ୍ଥା ଓ ଏଥିରୁ ସୁରକ୍ଷା ପାଇବାର ଉପାୟ ସମ୍ପର୍କରେ ବିଶଦ ଭାବରେ ଆଲୋକପାତ କରି ଶିକ୍ଷାନୁଷ୍ଠାନ ଓ କର୍ମକ୍ଷେତ୍ରରେ ଏକ ସୁସ୍ଥ ସୁରକ୍ଷିତ ଏବଂ ଭୟମୁକ୍ତ ପରିବେଶ ସୃଷ୍ଟି କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ l ଶକ୍ତିଶ୍ରୀ ସଶକ୍ତିକରଣ ସେଲର ସଂଯୋଜିକା ତଥା ପ୍ରାଣୀ ବିଭାଗର ସହକାରୀ ପ୍ରଫେସର ସୁଶ୍ରୀ ସଂଗୀତା ପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶକ୍ତିଶ୍ରୀ ସାଥୀ ତଥା ଇଂରାଜୀ ବିଭାଗର ଛାତ୍ରୀ ଶ୍ରଦ୍ଧା ସୁମନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସକ୍ରିୟ ଅଂଶଗ୍ରହଣକରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l






