ଅଜିତ ପଣ୍ଡା /ଗଞ୍ଜାମ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ଶେରଗଡ ୧୯/୧୧ ଗଞ୍ଜାମ ବାସୀ ପୁଣି ଏକ ବନ୍ୟା କୁ ସାମନା କରୁଛନ୍ତି। ଶେରଗଡ ବ୍ଲକର ପ୍ରାୟ ୧୧ ଟି ପଞ୍ଚାୟତ ‘ଅର୍ଣବ’ ବାତ୍ୟା ରେ ପ୍ରଭାବିତ ହେବା ସହିତ ସମସ୍ତ ପ୍ରକାର କ୍ଷତି ର ସାମନା କରିଥିଲେ। ଲୋକ ଙ୍କୁ କ୍ଷତିପୂରଣ ଦିଆଯିବା ପ୍ରକ୍ରିୟା ଜାରି ରହିଛି। ଶେରଗଡ ବ୍ଲକର ବର୍ତ୍ତମାନ ର ଭୌଗୋଳିକ ସ୍ଥିତି ଏବଂ ଉଜୁଡା କ୍ଷେତ ର ସ୍ଥିତି ସୂଚାଇ ଦେଉଛି ଗତ ବନ୍ୟା ର ଭୟାବହତା। ବନ୍ୟା ପାଣି କମିବା ପରେ ଚାଷୀ ଉଜୁଡା କ୍ଷେତ ରୁ ଧାନ ସାଉଁଁଟୁ ଥିବା ବେଳେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ‘ଅକ୍ବାନ’ ଜନିତ ବର୍ଷା ଯଦି ଅଧିକ ହୁଏ ଚାଷୀ ଅମଳ ଆଶା ଛାଡି ପାଚିଲା ଧାନ ରେ ମୋହି ଦେବା ହିଁ ସାର ହେବ। ପାଣିପାଗ ବିଭାଗର ସୂଚନା ରହିଛି ଯେ,ବାତ୍ୟା ଧିରେ ଧିରେ ଉଗ୍ର ରୂପ ଧାରଣ କରିବ ଏବଂ ଗଞ୍ଜାମ ରେ ସ୍ଥଳ ଭାଗ ଛୁଈଁବା ପରେ ତାଣ୍ଡବ ରଚିବ। ଏହାକୁ ନେଇ ଶେରଗଡ ବ୍ଲକ ପ୍ରଶାସନ ଜିରୋ କାଜୁଆଲିଟି କୁ ଗୁରୁତ୍ୱ ଦେଇ ବିଡିଓ ସୁଶ୍ରୀ ତୃପ୍ତିମୟୀ ଜେନା, ତହସିଲଦାର ତ୍ରିଦେବ ରଥ,ସହକାରୀ ଯନ୍ତ୍ରୀ ଶ୍ରୀମତି ରଶ୍ମିତା ଶବର ଙ୍କ ତତ୍ବାବଧାନରେ ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜୋରସୋରରେ ଚାଲିଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶେରଗଡ ବ୍ଲକରେ ବର୍ତ୍ତମାନ ୫୧ ଟି ବାତ୍ୟା ଆଶ୍ରୟ ସ୍ଥଳୀ ରେ ୩୧୪୦ ଜଣ ଙ୍କୁ ଆଶ୍ରୟ ଦିଆଯାଇଛି। ୨୨ ଟି ସ୍ଥାନରେ ୧୫୬୪୭ ଜଣ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବାତ୍ୟା ର ମୁକାବିଲା ଲାଗି ଶେରଗଡ ରେ ଓଡ୍ରାଫ ଟିମ ପହଞ୍ଚି ଥିବା ବେଳେ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସମସ୍ତ ଆଶ୍ରୟ ସ୍ଥଳୀରେ ନୋଡାଲ ଅଫିସର ମାନେ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ,ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା ବିଡିଓ ସୁଶ୍ରୀ ତୃପ୍ତିମୟୀ ଜେନା ସୂଚନା ଦେଈଛନ୍ତି। ଶେରଗଡ ରେ ସନ୍ଧ୍ୟା ସୁଦ୍ଧା ୬.୫ ମିମି ବର୍ଷା ରେକର୍ଡ କରାଯାଇଛି।






