ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ଚାଷୀଙ୍କ ପ୍ରତିନିଧି ଭାବେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିରେ ତୁଲାଇବେ ଦାୟିତ୍ୱ, ବିଭିନ୍ନ ମହଲରୁ ଶୁଭେଚ୍ଛା
କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲାର ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ସ୍ୱରକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିରେ କୃଷକ ପ୍ରତିନିଧି ଭାବେ ପୁନର୍ବାର ସ୍ଥାନ ପାଇଛନ୍ତି କୃଷକ ନେତା ତଥା ଆଇନଜୀବୀ ମଦନ ମୋହନ ମହାନ୍ତ। ୨୦୨୬-୨୭ ଖରିଫ ଧାନ ସଂଗ୍ରହ ଋତୁ ପାଇଁ ତାଙ୍କ ନାମକୁ ପୁନର୍ବାର ଅନୁମୋଦନ କରାଯାଇଥିବା ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୨୧ ତାରିଖରେ ଜାରି ଡି.ଓ. ନଂ ୧୮୯୭ ଚିଠିରେ ସମ୍ପୃକ୍ତ ଜିଲ୍ଲାର କୃଷକ ପ୍ରତିନିଧିମାନଙ୍କୁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଯୋଗଦେବାକୁ ସୁପାରିସ କରାଯାଇଛି। ପୂର୍ବରୁ ମଧ୍ୟ ମଦନ ମୋହନ ମହାନ୍ତ ଜିଲ୍ଲା ଧାନ ସଂଗ୍ରହ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରି ଚାଷୀଙ୍କ ସମସ୍ୟା ଓ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସେ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି, ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଏବଂ କରଞ୍ଜିଆ ଓକିଲ ସଂଘର ସମ୍ପାଦକ ଓ ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ନିଜର ସାଂଗଠନିକ ଦକ୍ଷତା ଓ କାର୍ଯ୍ୟଶୈଳୀ ପାଇଁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି। ବର୍ତ୍ତମାନ ସେ ବିଜେପିର ରାଜ୍ୟ ଆଇନ ପ୍ରକୋଷ୍ଠର ସଂଯୋଜକ ଭାବେ କାର୍ଯ୍ୟ କରିବା ସହ କରଞ୍ଜିଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ସରକାରୀ ଓକିଲ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

ପୁନର୍ବାର ଚାଷୀଙ୍କ ପ୍ରତିନିଧି ଭାବେ ଜିଲ୍ଲା ଧାନ ସଂଗ୍ରହ କମିଟିରେ ସ୍ଥାନ ପାଇବା ପରେ ମଦନ ମୋହନ ମହାନ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଏବଂ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀଙ୍କ ସମସ୍ୟା, ଧାନର ଉଚିତ ମୂଲ୍ୟ, ସୁବ୍ୟବସ୍ଥିତ ମଣ୍ଡି ପରିଚାଳନା ଏବଂ ଚାଷୀଙ୍କ ହିତ ସମ୍ପର୍କିତ ପ୍ରସଙ୍ଗକୁ କମିଟିରେ ଗୁରୁତ୍ୱର ସହ ଉପସ୍ଥାପନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କର ପୁନଃ ମନୋନୟନ ପରେ କରଞ୍ଜିଆ ସମେତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।





