ରତିକାନ୍ତ ନାୟକ/ସମୀକ୍ଷା ନ୍ୟୁଜ/ଭଦ୍ରକ:
ଜଳମଗ୍ନ ଚାଷଜମି, ଚିନ୍ତାରେ ଚାଷୀ ପରିବାର
ଭଦ୍ରକ : ୨୧/୧୧ ବାତ୍ୟା ଅକଭାନର ପ୍ରଭାବରେ ଦୁଇଦିନ ଧରି ଲଗାତାର ପ୍ରବଳ ବର୍ଷା ହେବା ଫଳରେ ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତ ଅଧୀନ ତିନିଘରିଆ ଗ୍ରାମର ପନିପରିବା ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି। ଗ୍ରାମର ବିଭିନ୍ନ ଚାଷଜମିରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଏକର ଏକର ପନିପରିବା ଫସଲ ଜଳମଗ୍ନ ହୋଇପଡ଼ିଛି। ଚାଷଜମିରେ କୋବି, ବାଇଗଣ, ଲଙ୍କା, ଟମାଟୋ ସମେତ ବିଭିନ୍ନ ପ୍ରକାରର ପନିପରିବା ଫସଲ ପାଣିରେ ବୁଡ଼ି ରହିଛି। ଦୀର୍ଘ ସମୟ ଧରି ଜମିରେ ପାଣି ଜମି ରହିବା ଫଳରେ ଫସଲ ନଷ୍ଟ ହେବାର ଆଶଙ୍କା ବଢ଼ିଥିବାବେଳେ ଚାଷୀମାନଙ୍କ ଆର୍ଥିକ କ୍ଷତି ମଧ୍ୟ ବୃଦ୍ଧି ପାଇଛି। ଅନେକ ଚାଷୀ ନିଜର ଜୀବିକା ଓ ପରିବାର ପ୍ରତିପୋଷଣ ପାଇଁ ଏହି ପନିପରିବା ଚାଷ ଉପରେ ନିର୍ଭର କରୁଥିବାରୁ ଏଭଳି ପରିସ୍ଥିତି ସେମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗ୍ରାମର ପ୍ରାୟ ସମସ୍ତ ପରିବାର କୃଷି ଓ ପନିପରିବା ଚାଷକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଛନ୍ତି। ବର୍ଷା ଯୋଗୁଁ ଚାଷଜମି ଜଳମଗ୍ନ ହେବା ସହ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଚାଷୀଙ୍କ ମଧ୍ୟରେ ନିରାଶା ଦେଖାଦେଇଛି। ଏଭଳି ସ୍ଥିତିରେ ଚାଷୀମାନେ କ୍ଷତିରୁ କିପରି ମୁକୁଳିବେ ଓ ପରିବାର ଚଳାଇବେ, ସେନେଇ ଚିନ୍ତାରେ ରହିଛନ୍ତି। ଅଞ୍ଚଳରେ ଜମିରୁ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବା ସହ କ୍ଷତିଗ୍ରସ୍ତ ଚାଷଜମିର ଆକଳନ କରି ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ଦାବି ଉଠିଛି। ବର୍ଷାର ପ୍ରକୋପରେ ଚାଷଜମି ଜଳମଗ୍ନ ହୋଇଥିବାରୁ ତିନିଘରିଆ ଗ୍ରାମର ପନିପରିବା ଚାଷୀମାନେ ଏବେ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି।






