ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି/ ଖୋରଧା/ ସମୀକ୍ଷା ନ୍ୟୁଜ:
ବ୍ୟବସାୟୀଙ୍କ ସହ ଖୋରଧା ଆଦର୍ଶ ଥାନାରେ ସଚେତନତା ବୈଠକ; ସିସିଟିଭି, ପାନିକ ବଟନ୍ ଓ ସୁରକ୍ଷାକର୍ମୀ ନିଯୁକ୍ତି ଉପରେ ଗୁରୁତ୍ୱ
ଖୋରଧା, ୨୨।୧୧: ଖୋରଧା ସହରରେ ଅଳଙ୍କାର ଦୋକାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଚୋରି, ଲୁଟ୍ପାଟ୍ ଭଳି ଅପରାଧକୁ ରୋକିବା ଉଦ୍ଦେଶ୍ୟରେ ଆଦର୍ଶ ଥାନା ପକ୍ଷରୁ ଏକ ସଚେତନତା ବୈଠକ ଆୟୋଜିତ ହୋଇଯାଇଛି। ରବିବାର ମଧ୍ୟାହ୍ନରେ ଥାନାର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସହରର ୨୫ ଜଣ ଅଳଙ୍କାର ବ୍ୟବସାୟୀ ଯୋଗଦେଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଥାନା ଅଧିକାରୀ କହିଥିଲେ ଯେ, ପୋଲିସ ସର୍ବଦା ଜନସାଧାରଣଙ୍କ ସେବା ଓ ସୁରକ୍ଷା ପାଇଁ ପ୍ରତିବଦ୍ଧ। ତେବେ ଅପରାଧ ଘଟିବା ପରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅପେକ୍ଷା ଅପରାଧକୁ ଆଗୁଆ ରୋକିବା ଏବଂ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଅଧିକ ଜରୁରୀ। ଏଥିପାଇଁ ବ୍ୟବସାୟୀ ମାନେ ନିଜ ଦୋକାନର ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ପ୍ରତ୍ୟେକ ଅଳଙ୍କାର ଦୋକାନରେ ପ୍ରଶିକ୍ଷିତ ସୁରକ୍ଷାକର୍ମୀ ନିଯୁକ୍ତି ସହ ନିଯୁକ୍ତି ପୂର୍ବରୁ ସେମାନଙ୍କର ପୋଲିସ ଯାଞ୍ଚ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦୋକାନର ପ୍ରବେଶ ପଥ, କାଉଣ୍ଟର, ଲକର ଓ ବାହାର ରାସ୍ତା ଦିଗକୁ ଉଚ୍ଚମାନର ସିସିଟିଭି କ୍ୟାମେରା ଲଗାଇବା ସହ ନିୟମିତ ଭାବେ ଏହାର ଫୁଟେଜ୍ ସଂରକ୍ଷଣ କରିବାକୁ କୁହାଯାଇଥିଲା। ସେହିପରି ଚୋରି ଓ ଲୁଟପାଟରୁ ସୁରକ୍ଷା ପାଇଁ ଆଲାର୍ମ, ସାଇରନ ଓ ପାନିକ ବଟନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଥିଲା।

ଦୋକାନ ବନ୍ଦ କରିବା ପରେ ସମସ୍ତ ମୂଲ୍ୟବାନ ଅଳଙ୍କାରକୁ ସୁରକ୍ଷିତ ଲକର କିମ୍ବା ସେଫ୍ରେ ରଖିବା, ଦୈନିକ ଷ୍ଟକ ରେଜିଷ୍ଟର ପ୍ରସ୍ତୁତ କରିବା, ମଜବୁତ ସଟର ଓ ତାଲା ବ୍ୟବହାର କରିବା ସହ ଦୋକାନ ସମ୍ମୁଖରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା କରିବାକୁ ବ୍ୟବସାୟୀମାନଙ୍କୁ କୁହାଯାଇଥିଲା। ଏଥିସହ ଦୋକାନରେ ଅଧିକ ପରିମାଣର ନଗଦ ଟଙ୍କା ନରଖିବା, ସନ୍ଦେହଜନକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ପୁରୁଣା ଅଳଙ୍କାର କିଣିବା ସମୟରେ ବିକ୍ରେତାଙ୍କ ପରିଚୟପତ୍ର ଯାଞ୍ଚ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଜରୁରୀ ପରିସ୍ଥିତିରେ ତୁରନ୍ତ ଥାନା କିମ୍ବା ଡାଏଲ୍ ୧୧୨କୁ ଯୋଗାଯୋଗ କରିବାକୁ କୁହାଯାଇଥିଲା। ପୋଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ତ୍ୱରିତ ସୂଚନା ଆଦାନପ୍ରଦାନ ଓ ସମନ୍ୱୟ ରକ୍ଷା ପାଇଁ ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ ଗ୍ରୁପ ମଧ୍ୟ ଗଠନ କରାଯାଇଛି। ଏଥିସହ ବଜାର ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କୁ କଡ଼ାକଡି କାରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି। ଦୋକାନ ଗୁଡ଼ିକରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟବସାୟୀ ମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇଥିବା ବେଳେ ଥାନାର ବିଟ କର୍ମଚାରୀମାନେ ଏହାର ଯାଞ୍ଚ କରିବେ। ପୋଲିସର ଏହି ପଦକ୍ଷେପକୁ ଅଳଙ୍କାର ବ୍ୟବସାୟୀମାନେ ସ୍ୱାଗତ କରିବା ସହ ଦୋକାନ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପୋଲିସକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।





