ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନ୍ୟୁଜ: ୨୨.୧୦.୨୦୨୬
ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତା ୨୫ ତାରିଖରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇ ୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ସହରର ୪୧ଟି ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିବାବେଳେ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବାର ଆକଳନ କରାଯାଇଛି। ପୂଜା ସମୟରେ ଭକ୍ତମାନଙ୍କ ସୁରକ୍ଷା ସହ ଅଗ୍ନିକାଣ୍ଡ ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ୪ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଓ ୧୨ଟି ଅସ୍ଥାୟୀ ଫାୟାର ପୋଷ୍ଟ ସ୍ଥାପନ କରାଯିବ। ପ୍ରତ୍ୟେକ ପୂଜା ମଣ୍ଡପରେ ଦୁଇ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ଦୁଇଟି ଅଗ୍ନି ନିର୍ବାପକ ଯନ୍ତ୍ର ଉପଲବ୍ଧ କରାଇବାର ବ୍ୟବସ୍ଥା ହୋଇଛି। ଏଥିସହ ଦିନରାତି ଜରୁରୀକାଳୀନ ସେବା ଯୋଗାଇବା ପାଇଁ କୁଇକ୍ ରେସ୍ପନ୍ସ ୟୁନିଟ୍ ଗାଡ଼ି ନିୟୋଜିତ ହେବ। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ମିନି ରେସ୍କ୍ୟୁ ଟେଣ୍ଡର ଗାଡ଼ିର ମଧ୍ୟ ବ୍ୟବସ୍ଥା ରହିଛି। ଏହି ସମଗ୍ର ସୁରକ୍ଷା ବ୍ୟବସ୍ଥାରେ ପ୍ରାୟ ୯୦ ଜଣ ଅଗ୍ନିଶମ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ। ସେମାନଙ୍କ ମଧ୍ୟରେ ୯ ଜଣ ଅଧିକାରୀ, ୬ ଜଣ ଆସିଷ୍ଟାଣ୍ଟ ଷ୍ଟେସନ୍ ଅଫିସର ଏବଂ ଜଣେ ଡେପୁଟି ଫାୟାର ଅଫିସର ରହିବେ। ପୂଜା ସମୟରେ ଯେକୌଣସି ଅଗ୍ନିକାଣ୍ଡ କିମ୍ବା ଅନ୍ୟ ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିବ। ଭକ୍ତମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପୂଜାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି।






