ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୫/୧୧/୨୬ – ପୂର୍ବ ସୂଚନା କ୍ରମେ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (BBSA) ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୨୯୫ ଜଣ ଦିବ୍ୟାଙ୍ଗଜନ ପ୍ରମାଣପତ୍ର ପାଇଁ ପଞ୍ଜୀକରଣ କରିଥିବା ସମୟରେ ଡାକ୍ତରୀ ପରୀକ୍ଷା ପରେ ୧୩୬ ଜଣ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ତନ୍ମଧ୍ୟରୁ ଅସ୍ଥିଜନିତ ଦିବ୍ୟାଙ୍ଗ ୮୭ ଜଣ, ଦୃଷ୍ଟିବାଧିତ ୨୪ ଜଣ, ବୌଦ୍ଧିକ ଦିବ୍ୟାଙ୍ଗ ୨୧ ଜଣ ଏବଂ ଶ୍ରବଣବାଧିତ ୪ ଜଣ ରହିଛନ୍ତି । ଏହାବ୍ୟତୀତ ୮୪ ଜଣ ସହାୟକ ଉପକରଣ, ୯୮ ଜଣ ବସ୍ ପାସ୍ ଏବଂ ୭୫ ଜଣ ଆୟ ପ୍ରମାଣପତ୍ର ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି । ତେବେ ଦିବ୍ୟାଙ୍ଗମାନଙ୍କୁ ସରକାରୀ ଯୋଜନାର ସୁବିଧା ସୁଯୋଗ ପ୍ରଦାନ, ସେମାନଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏହି ଆୟୋଜିତ ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।






