ଅବିନାଶ ଗଡତିଆ/ବରଗଡ /ସମୀକ୍ଷା ନ୍ୟୁଜ:
ଚଳିତ ବର୍ଷ ବରଗଡ଼ ସହରର ପ୍ରତ୍ୟେକ ପଡ଼ା (ମଣ୍ଡପ) ରେ ମା’ ଦୁର୍ଗାଙ୍କ ଶାରଦୀୟ ପୂଜା ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ଓ ଜାକଜମକରେ ପାଳିତ ହୋଇଯାଇଛି। ସହରର ପୁରୁଣା ମଣ୍ଡପଠାରୁ ଆରମ୍ଭ କରି ନୂତନ ପୂଜା କମିଟିଗୁଡ଼ିକ ପକ୍ଷରୁ ସୁଦୃଶ୍ୟ ସାଜସଜ୍ଜା, ବିଦ୍ୟୁତ ଆଲୋକମାଳା ଏବଂ ଭିନ୍ନ ଭିନ୍ନ ଥିମ୍ ଆଧାରିତ ପେଣ୍ଡାଲ ସହରବାସୀଙ୍କୁ ବେଶ୍ ଆକର୍ଷିତ କରିଛି। ନାଏକପଡ଼ା (ଗୌରୀ ମଣ୍ଡପ) ଏଠାରେ ଚଳିତ ବର୍ଷ ୬୦ତମ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ଆଦିମାନବ ଏବଂ ପ୍ରାଚୀନ କାଳର ଇତିହାସକୁ ନେଇ କରାଯାଇଥିବା ସ୍ୱତନ୍ତ୍ର ଥିମ୍ ପେଣ୍ଡାଲ ଚଳିତ ବର୍ଷ ବରଗଡ଼ ସହରର ସବୁଠାରୁ ବଡ଼ ଆକର୍ଷଣ ସାଜିଥିଲା, ଯାହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା। ତାଲିପଡ଼ା (ରାମଜୀ ମନ୍ଦିର ମଣ୍ଡପ) ତାଲିପଡ଼ା ପୂଜା କମିଟି ପକ୍ଷରୁ ସହରର ଅନ୍ୟତମ ଅତି ସୁନ୍ଦର ଓ କଳାତ୍ମକ ମଣ୍ଡପ ନିର୍ମାଣ କରାଯାଇଥିଲା। ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହିତ ଆଖିଦୃଶିଆ ତୋରଣ ଦର୍ଶକଙ୍କ ମନ ମୋହିଥିଲା। ମାରୱାଡ଼ି ପଡ଼ା (ଭଜନପଡ଼ା ଅଞ୍ଚଳ) ଏହି ମଣ୍ଡପରେ ଶିବ ଓ ଅର୍ଧନାରୀଶ୍ଵର କନସେପ୍ଟ ଉପରେ ଏକ ଅତି ସୁନ୍ଦର ମୂର୍ତ୍ତି ଏବଂ ପ୍ରତିକୃତି ପ୍ରଦର୍ଶନ କରାଯାଇଥିଲା। କୋଲକାତା ଶୈଳୀର ସାଜସଜ୍ଜା ଏବଂ ସାତଭଉଣୀ ମା’ଙ୍କ ମହାଦ୍ୱାର ସହ ଏଲଇଡି ଲାଇଟ୍ ଶୋ’ର ଅପୂର୍ବ ନଜାରା ଦେଖିବାକୁ ମିଳିଥିଲା।ଶୋରାପଡ଼ା ଓ ସଂକଟପଡ଼ା ଏହି ପଡ଼ାଗୁଡ଼ିକରେ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରତିଦିନ ସନ୍ଧ୍ୟା ଆରତୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତ ସାମିଲ ହୋଇଥିଲେ। ବାରପାଲି (ଜଗନ୍ନାଥ ନଗର): ବରଗଡ଼ ଉପକଣ୍ଠ ବାରପାଲିର ଜଗନ୍ନାଥ ନଗର ପୂଜା କମିଟି ଚଳିତ ବର୍ଷ ତାର ୫୧ତମ ବର୍ଷ ପୂରଣ କରିଛି। ଏହାର ଶୃଙ୍ଖଳିତ ଏବଂ ପରିବେଶ ଅନୁକୂଳ ପୂଜା ପାଇଁ କମିଟିକୁ ବିଶେଷ ଭାବେ ସମ୍ମାନିତ ମଧ୍ୟ କରାଯାଇଛି। ପ୍ରତ୍ୟେକ ପଡ଼ାରେ ମହାଷ୍ଟମୀ ଓ ମହାନବମୀ ତିଥିରେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ କମିଟିର ସ୍ୱେଚ୍ଛାସେବୀ ଓ ବରଗଡ଼ ପୋଲିସ ପକ୍ଷରୁ ସହରସାରା ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।






