ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି/ ଖୋରଧା/ ସମୀକ୍ଷା ନ୍ୟୁଜ:
ପଚାସଢ଼ା ପରିବା ଓ ଆବର୍ଜନାରେ ଭର୍ତ୍ତି ବଜାର ପରିସର; ଗ୍ରାହକଙ୍କଠାରୁ ବ୍ୟବସାୟୀ ସମସ୍ତେ ଅତିଷ୍ଠ, ସବୁ ଜାଣି ନୀରବ ପୌର ପ୍ରଶାସନ
ଖୋରଧା, ୨୨/୧୧: ସହରର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାର ଡିଣ୍ଡିମ ପିଟୁଥିବା ପୌର ପ୍ରଶାସନର ବାସ୍ତବ ଚିତ୍ର ଏବେ ଟିଏଲସି ରୋଡ୍ ସ୍ଥିତ ପରିବା ବଜାରରେ ଦେଖିବାକୁ ମିଳୁଛି। ଏକଦା ସହରବାସୀଙ୍କ ଦୈନନ୍ଦିନ ପରିବା କିଣାବିକାର ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ଏହି ବଜାର ଏବେ ଅଳିଆ ଆବର୍ଜନା, ପଚାସଢ଼ା ପରିବା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଭରି ରହିଛି। ବଜାରର ବିଭିନ୍ନ ସ୍ଥାନରେ ଜମା ହୋଇ ରହୁଥିବା ଆବର୍ଜନାରୁ ନିର୍ଗତ ଉତ୍କଟ ଦୁର୍ଗନ୍ଧରେ ଗ୍ରାହକ, ବ୍ୟବସାୟୀ ଓ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ,ଏଭଳି ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଥିବା ସତ୍ତ୍ୱେ ଖୋରଧା ପୌର ପ୍ରଶାସନର ଆଖି ଖୋଲୁନାହିଁ ପ୍ରତିଦିନ ଏହି ବଜାରକୁ ବହୁ ସଂଖ୍ୟାରେ ଲୋକ ପରିବା କିଣିବାକୁ ଆସିଥାନ୍ତି। ସେହିପରି ଅନେକ ଛୋଟବଡ଼ ବ୍ୟବସାୟୀ ଏଠାରେ ପରିବା ବିକ୍ରି କରି ନିଜର ଜୀବିକା ନିର୍ବାହ କରିଥାନ୍ତି। ହେଲେ ବଜାରର ପରିମଳ ବ୍ୟବସ୍ଥା ଏବେ ଏତେ ଦୟନୀୟ ହୋଇପଡ଼ିଛି ଯେ, ଲୋକେ ନାକରେ ରୁମାଲ ଦେଇ ପରିବା ବଜାର ମଧ୍ୟକୁ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ଦୋକାନ ସମ୍ମୁଖରେ ଓ ବଜାରର ଅନ୍ୟାନ୍ୟ ସ୍ଥାନରେ ପଚାସଢ଼ା ପରିବା ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଜମା ହୋଇ ରହୁଛି। ଏହାକୁ ନିୟମିତ ଭାବେ ସଫା କରାଯାଉନଥିବାରୁ ଦିନକୁ ଦିନ ଆବର୍ଜନାର ପରିମାଣ ବଢ଼ିବା ସହିତ ପରିବେଶ ଅଧିକ ଦୂଷିତ ହେଉଛି।

ଅଭିଯୋଗ ଅନୁଯାୟୀ, ପରିବା ବ୍ୟବସାୟ ସମୟରେ ବାହାରୁଥିବା ପଚାସଢ଼ା ପରିବା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ କେତେକ ବ୍ୟବସାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପକାଇ ଏଣେତେଣେ ଫିଙ୍ଗି ଦେଉଛନ୍ତି। ଫଳରେ ବଜାର ପରିସରରେ ଅଳିଆ ଗଦା ସୃଷ୍ଟି ହେଉଛି। ଏପରି ବର୍ଜ୍ୟବସ୍ତୁକୁ ନିୟମିତ ଉଠାଇବା, ବଜାର ପରିସରକୁ ସଫା ରଖିବା ଏବଂ ଆବଶ୍ୟକ ସ୍ଥାନରେ ଡଷ୍ଟବିନ୍ ରଖିବା ଦାୟିତ୍ୱ ପୌର ପ୍ରଶାସନର ହୋଇଥିଲେ ମଧ୍ୟ ଏ ଦିଗରେ ଆବଶ୍ୟକ ତତ୍ପରତା ପ୍ରକାଶ ପାଉନଥିବା ନେଇ ଅସନ୍ତୋଷ ବଢ଼ୁଛି। ବିଶେଷକରି ପଚାସଢ଼ା ପରିବା ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ପଡ଼ି ରହିବା ଯୋଗୁଁ ସେଥିରୁ ଦୁର୍ଗନ୍ଧ ବାହାରିବା ସହ ମାଛି, ମଶା ଓ ଅନ୍ୟାନ୍ୟ କୀଟପତଙ୍ଗଙ୍କ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ରହିଛି। ଏହା କେବଳ ପରିବେଶକୁ ଅସ୍ୱାସ୍ଥ୍ୟକର କରୁନାହିଁ, ବରଂ ସେଠାରେ ବିକ୍ରି ହେଉଥିବା ଖାଦ୍ୟପଦାର୍ଥ ଓ ପରିବା ର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି। ଏଭଳି ପରିସ୍ଥିତିରେ ଗ୍ରାହକମାନେ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ପରିବା କିଣିବାର ସାଧାରଣ ଅଧିକାରରୁ ବଞ୍ଚିତ ହେଉଥିବା ମତ ପ୍ରକାଶ ପାଉଛି। କେବଳ ଅଳିଆ ଆବର୍ଜନା ନୁହେଁ, ବଜାରରେ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧାର ମଧ୍ୟ ଅଭାବ ରହିଥିବା ଅଭିଯୋଗ ହେଉଛି। ଏକ ସୁବ୍ୟବସ୍ଥିତ ପରିବା ବଜାର ପାଇଁ ଯେଉଁ ସର୍ବନିମ୍ନ ସୁବିଧା ରହିବା କଥା, ତାହା ଏଠାରେ ଉପଲବ୍ଧ ନଥିବାରୁ ବ୍ୟବସାୟୀମାନେ ଦୀର୍ଘଦିନ ଧରି ନାନା ସମସ୍ୟାରେ ଗତି କରୁଛନ୍ତି। ବଜାରରେ ସଠିକ୍ ଆବର୍ଜନା ସଂଗ୍ରହ ବ୍ୟବସ୍ଥା, ନିୟମିତ ସଫେଇ ଓ ସ୍ୱଚ୍ଛତା ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଗଲେ ଏହି ସମସ୍ୟାର ଅନେକାଂଶରେ ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସହରର ଏକ ପ୍ରମୁଖ ବ୍ୟବସାୟିକ ସ୍ଥାନ ଭାବେ ଟିଏଲସି ରୋଡ୍ ପରିବା ବଜାରର ଗୁରୁତ୍ୱ ରହିଛି। ଏଠାରେ ପରିବା କିଣାବିକା ସହ ଅନେକ ପରିବାରର ଜୀବିକା ଜଡ଼ିତ। ତେଣୁ ଏହାର ସ୍ୱଚ୍ଛତା ଓ ସୁପରିଚାଳନା ପ୍ରତି ପୌର ପ୍ରଶାସନ ଅଧିକ ଯତ୍ନବାନ ହେବା ଆବଶ୍ୟକ। କିନ୍ତୁ ବାସ୍ତବରେ ବଜାରର ଏଭଳି ଦୁରବସ୍ଥା ଦେଖିଲେ ପୌର ପ୍ରଶାସନର ସ୍ୱଚ୍ଛତା ସମ୍ପର୍କିତ ଦାବି କେତେଦୂର କାର୍ଯ୍ୟକାରୀ ହେଉଛି, ତାହାକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି। ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହିତ ଟିଏଲସି ରୋଡ୍ ପରିବା ବଜାରର ଏଭଳି ଦୟନୀୟ ସ୍ଥିତି ପ୍ରତି କାହିଁକି ଦୃଷ୍ଟି ଦିଆଯାଉନାହିଁ, ତାହା ଏବେ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ପୌର ପ୍ରଶାସନର ଏହି ଉଦାସୀନତା ଯୋଗୁଁ ସାଧାରଣ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଖୋରଧା ଜିଲ୍ଲାପାଳ ଏହି ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ଟିଏଲସି ରୋଡ୍ ପରିବା ବଜାରର ସ୍ଥିତି ଅନୁଧ୍ୟାନ କରିବାକୁ ସହରବାସୀ ଦାବି କରିଛନ୍ତି। ଏଥିସହ ବଜାରରେ ନିୟମିତ ସଫେଇ ବ୍ୟବସ୍ଥା, ଆବର୍ଜନା ପକାଇବା ପାଇଁ ଯଥେଷ୍ଟ ଡଷ୍ଟବିନ୍, ପଚାସଢ଼ା ପରିବାର ତୁରନ୍ତ ଉଠାଣ, ନିର୍ଦ୍ଦିଷ୍ଟ ସମୟରେ ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ବ୍ୟବସାୟୀଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇଦେବାକୁ ପୌର ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଅନ୍ୟଥା ସହରର ଏହି ପ୍ରମୁଖ ପରିବା ବଜାର ଆଗାମୀ ଦିନରେ ଏକ ବଡ଼ ପରିମଳ ସମସ୍ୟାର କେନ୍ଦ୍ରସ୍ଥଳ ପାଲଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।





