ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼ : ୨୮/୧୦ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ୍ ଅନ୍ତର୍ଗତ କଠଉମାଲ ବଜାର ପ୍ରାଙ୍ଗଣରେ ପୁରାତନ ଆଧ୍ୟାତ୍ମିକ ପରମ୍ପରା ଅନୁଯାୟୀ ମା ପାଟଖଣ୍ଡା ପାଟମେଶ୍ରୀଙ୍କ ପ୍ରସିଦ୍ଧ ବଇଲ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଆଖପାଖ ଅଞ୍ଚଳର ସମସ୍ତ ଗ୍ରାମବାସୀଙ୍କ ମିଳିତ ସହଯୋଗ ଓ ନିଷ୍ଠାପର ଉଦ୍ୟମରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ ମହୋତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷର ବଇଲ ଯାତ୍ରାରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିଲେ ସୋସିଆଲ ମିଡିଆ ଭାଇରାଲ କରଂସାନୀ ବାୟିକା ବର୍ଷା ସାହୁ। ତାଙ୍କର ସୁମଧୁର କୀର୍ତ୍ତନ ଓ ବାଦନ ଶୈଳୀ ପୂରା ପରିବେଶକୁ ଭକ୍ତିମୟ କରିତୋଳିଥିଲା। ଏହା ସହିତ ପାରମ୍ପରିକ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପାରମ୍ପରିକ ଖେଳ ମେଣ୍ଡା ଲଢ଼େଇ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା। ରାବଣ ଦରବାର ଓ କୀର୍ତ୍ତନ ପୌରାଣିକ କାହାଣୀ ଆଧାରିତ ରାବଣ ଦରବାର ନାଟକ ଓ ମନମୁଗ୍ଧକର ନାମସଂକୀର୍ତ୍ତନ ପରିବେଶକୁ ଶ୍ରଦ୍ଧାରେ ଭରିଦେଇଥିଲା। ମୀନାବଜାର ଶିଶୁ ଓ ପରିବାରବର୍ଗଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ଖେଳଣା ଓ ସାମଗ୍ରୀରେ ମୀନାବଜାର ଚହଲ ସୃଷ୍ଟି କରିଥିଲା। ପୁରାତନ କାଳରୁ ବଂଶାନୁକ୍ରମେ ଚାଲିଆସୁଥିବା ଏହି ଐତିହାସିକ ବଇଲ ଯାତ୍ରା ଅଞ୍ଚଳର ଏକତା ଓ ସଂସ୍କୃତିର ପ୍ରତୀକ ସାଜିଛି। ଗ୍ରାମବାସୀ ଓ ଆୟୋଜକ କମିଟି ଦାବି କରିଛନ୍ତି ଯେ ଯଦି ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ଆବଶ୍ୟକୀୟ ଆର୍ଥିକ ସହାୟତା ମିଳନ୍ତା ତେବେ ମା ପାଟଖଣ୍ଡା ପାଟମେଶ୍ରୀଙ୍କ ଏକ ସୁନ୍ଦର ମନ୍ଦିର ନିର୍ମାଣ ହୋଇପାରନ୍ତା ଏବଂ ଏହି ପୁରାତନ ବଇଲ ଯାତ୍ରାକୁ ଆଗାମୀ ଦିନରେ ଆହୁରି ଜାକଜମକ ଓ ଧୂମଧାମରେ ଆୟୋଜନ କରାଯାଇପାରନ୍ତା। ସ୍ଥାନୀୟ ଲୋକେ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।






